Joel 3

ପରମେଶ୍ୱରଙ୍କ ଦ୍ୱାରା ଗୋଷ୍ଠୀଗଣର ବିଚାର

1କାରଣ ଦେଖ, ସେହି ଦିନରେ ଓ ସେହି ସମୟରେ,
ଯେତେବେଳେ ଆମ୍ଭେ ଯିହୁଦା ଓ ଯିରୂଶାଲମର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା,
2ସେତେବେଳେ ଆମ୍ଭେ ଯାବତୀୟ ଗୋଷ୍ଠୀଙ୍କୁ ସଂଗ୍ରହ କରି
ସେମାନଙ୍କୁ ଯିହୋଶାଫଟ୍‍ (ସଦାପ୍ରଭୁଙ୍କ ବିଚାର) ଉପତ୍ୟକାକୁ ଓହ୍ଲାଇ ଆଣିବା;
ଆଉ, ସେମାନଙ୍କ ସଙ୍ଗେ ଆମ୍ଭ ଲୋକମାନଙ୍କର
ଓ ଆମ୍ଭ ଅଧିକାର ଇସ୍ରାଏଲ ସପକ୍ଷରେ ବାଦାନୁବାଦ କରିବା,
କାରଣ ସେମାନେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରି
ଆମ୍ଭର ଦେଶ ବିଭାଗ କରିଅଛନ୍ତି।
3ପୁଣି, ସେମାନେ ଆମ୍ଭ ଲୋକମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି
ଓ ଏକ ବେଶ୍ୟା ପାଇଁ ଏକ ବାଳକ ଦେଇଅଛନ୍ତି
ଓ ପାନ କରିବା ନିମନ୍ତେ ଦ୍ରାକ୍ଷାରସ ପାଇଁ ବାଳିକା ବିକ୍ରୟ କରିଅଛନ୍ତି।

4ଆହୁରି, ହେ ସୋର, ସୀଦୋନ ଓ ପଲେଷ୍ଟୀୟାର ସକଳ ଅଞ୍ଚଳ,

ତୁମ୍ଭେମାନେ ଆମ୍ଭ ପ୍ରତି କଅଣ କରିବ ?
ତୁମ୍ଭେମାନେ କି ଆମ୍ଭକୁ ପ୍ରତିଫଳ ଦେବ ?
ଓ ତୁମ୍ଭେମାନେ ଆମ୍ଭକୁ ପ୍ରତିଫଳ ଦେଲେ,
ଆମ୍ଭେ ଅବିଳମ୍ବରେ ଓ ଅତି ଶୀଘ୍ରରେ ତୁମ୍ଭମାନଙ୍କର ପ୍ରତିଫଳ
ତୁମ୍ଭମାନଙ୍କର ନିଜ ମସ୍ତକରେ ବର୍ତ୍ତାଇବା।
5କାରଣ ତୁମ୍ଭେମାନେ ଆମ୍ଭର ରୂପା ଓ ସୁନା ହରଣ କରିଅଛ,
ଆଉ ଆମ୍ଭର ଉତ୍ତମ ମନୋହର ପଦାର୍ଥମାନ
ଆପଣାମାନଙ୍କର ମନ୍ଦିରକୁ ବହି ନେଇ ଯାଇଅଛ;
6ଆହୁରି ଯିହୁଦାର ସନ୍ତାନଗଣକୁ ଓ ଯିରୂଶାଲମର ସନ୍ତାନଗଣକୁ
ସେମାନଙ୍କ ସୀମାରୁ ଦୂର କରିବା ନିମନ୍ତେ
ଗ୍ରୀସ୍‍ର ସନ୍ତାନଗଣ ନିକଟରେ ସେମାନଙ୍କୁ ବିକ୍ରୟ କରିଅଛ।

7ଦେଖ, ତୁମ୍ଭେମାନେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ରୟ କରିଅଛ,

ଆମ୍ଭେ ସେମାନଙ୍କର ପ୍ରବୃତ୍ତି ଜନ୍ମାଇ ସେହି ସ୍ଥାନରୁ ବାହାର କରିବା
ଓ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ମସ୍ତକରେ ବର୍ତ୍ତାଇବା;
8ପୁଣି, ଆମ୍ଭେ ତୁମ୍ଭମାନଙ୍କର ପୁତ୍ରଗଣ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ
ଯିହୁଦାର ସନ୍ତାନଗଣର ହସ୍ତରେ ବିକ୍ରୟ କରିବା,
ତହିଁରେ ସେମାନେ ସେମାନଙ୍କୁ
ଦୂର ଗୋଷ୍ଠୀୟ ଶିବାୟୀୟ ଲୋକମାନଙ୍କ ନିକଟରେ ବିକ୍ରୟ କରିବେ;
କାରଣ ସଦାପ୍ରଭୁ ଏହା କହିଅଛନ୍ତି।

9ତୁମ୍ଭେମାନେ ଗୋଷ୍ଠୀବର୍ଗ ମଧ୍ୟରେ ଏହି କଥା ପ୍ରଚାର କର;

ଯୁଦ୍ଧ ଆୟୋଜନ କର; ବୀରମାନଙ୍କର ପ୍ରବୃତ୍ତି ଜନ୍ମାଅ;
ଯୋଦ୍ଧା ସମସ୍ତେ ନିକଟକୁ ଆସି ଉପସ୍ଥିତ ହେଉନ୍ତୁ।
10ତୁମ୍ଭେମାନେ ଆପଣା ଆପଣା ଲଙ୍ଗଳର ଫାଳ ଭାଙ୍ଗି ଖଡ୍ଗ ଗଢ଼ାଅ
ଓ ଆପଣା ଆପଣା ଦାଆ ଭାଙ୍ଗି ବର୍ଚ୍ଛା ଗଢ଼:
ଦୁର୍ବଳ ଲୋକ କହୁ, “ମୁଁ ବଳବାନ।”

11ହେ ଚତୁର୍ଦ୍ଦିଗସ୍ଥ ଗୋଷ୍ଠୀସକଳ,

ତୁମ୍ଭେମାନେ ଚଞ୍ଚଳ ହୋଇ ଆସ ଓ ଆପଣାମାନଙ୍କୁ ଏକତ୍ର କର;
ହେ ସଦାପ୍ରଭୁ, ସେହି ସ୍ଥାନକୁ ତୁମ୍ଭେ ଆପଣା ବୀରଗଣକୁ ଓହ୍ଳାଇ ଆଣ।

12ଗୋଷ୍ଠୀବର୍ଗ ଉଦ୍‍ଯୋଗୀ ହୋଇ ଉଠନ୍ତୁ

ଓ ଯିହୋଶାଫଟ୍‍ର ଉପତ୍ୟକାକୁ ଆସନ୍ତୁ;
କାରଣ ସେସ୍ଥାନରେ ଆମ୍ଭେ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀର
ବିଚାର କରିବା ପାଇଁ ବସିବା।
13ତୁମ୍ଭେମାନେ ଦା ଲଗାଅ କାରଣ ଶସ୍ୟ ପାଚିଅଛି;
ତୁମ୍ଭେମାନେ ଆସି ଦଳନ କର;
କାରଣ ଦ୍ରାକ୍ଷାଯନ୍ତ୍ର ପୂର୍ଣ୍ଣ ହୋଇଅଛି, କୁଣ୍ଡସବୁ ଉଚ୍ଛୁଳି ପଡ଼ୁଅଛି;
କାରଣ ସେମାନଙ୍କର ଦୁଷ୍ଟତା ବଡ଼।

14ଦଣ୍ଡାଜ୍ଞାର ଉପତ୍ୟକାରେ ଲୋକାରଣ୍ୟ, ଲୋକାରଣ୍ୟ !

କାରଣ ଦଣ୍ଡାଜ୍ଞାର ଉପତ୍ୟକାରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ ହୋଇଅଛି।
15ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୋଇଅଛନ୍ତି
ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରୁଅଛନ୍ତି।

ଯିହୁଦାର ଗୌରବମୟ ଭବିଷ୍ୟତ


16ପୁଣି, ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ

ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ;
ତହିଁରେ ଆକାଶମଣ୍ଡଳ ଓ ପୃଥିବୀ କମ୍ପିତ ହେବେ;
ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟ ହେବେ
ଓ ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗ ହେବେ।
17“ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ
ଓ ଆପଣା ପବିତ୍ର ପର୍ବତ ସିୟୋନରେ ବାସ କରୁ, ଏହା ତୁମ୍ଭେମାନେ ଜାଣିବ;
ତହିଁରେ ଯିରୂଶାଲମ ପବିତ୍ର ହେବ ଓ ବିଦେଶୀୟମାନେ
ତହିଁ ମଧ୍ୟଦେଇ ଆଉ ଗମନାଗମନ କରିବେ ନାହିଁ।

18ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବେ,

ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ
ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ;
ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ,
ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।
19ଯିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ
ମିସର ଧ୍ୱଂସସ୍ଥାନ ହେବ ଓ ଇଦୋମ ଧ୍ୱଂସିତ ପ୍ରାନ୍ତର ହେବ,
କାରଣ ସେମାନେ ଆପଣାମାନଙ୍କ ଦେଶରେ
ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି।

20ମାତ୍ର ଯିହୁଦା ଚିରକାଳ ଓ ଯିରୂଶାଲମ ପୁରୁଷାନୁକ୍ରମେ ରହିବ।

21ପୁଣି, ଆମ୍ଭେ ସେମାନଙ୍କର ଯେଉଁ ରକ୍ତକୁ ନିର୍ଦ୍ଦୋଷ କରି ନାହୁଁ,
ତାହା ନିର୍ଦ୍ଦୋଷ କରିବା।”
କାରଣ ସଦାପ୍ରଭୁ ସିୟୋନରେ ବାସ କରନ୍ତି।
Copyright information for OriULB